7th Class M.I.L ( ଓଡ଼ିଆ -ସାହିତ୍ୟ ସୌରଭ ) - Chapter 1 କଳାମାଣିକରେ All Question With Answer

↓ Question & Answer ↓

Question ୧।
ଉତ୍ତର କୁହ ।

(କ) ମାତା ଯଶୋଦା କାହିଁକି ଚିନ୍ତିତ ହୋଇପଡ଼ିଛନ୍ତି ?
Answer:

ସ୍ନେହମୟୀ ମାତା ଯଶୋଦା କୃଷ୍ଣଙ୍କ ବନରୁ ଫେରିବା ବିଳମ୍ବରେ ଅଧୀରା ହୋଇପଡ଼ିଛନ୍ତି । ପ୍ରତ୍ୟହ ସନ୍ଧ୍ୟାପୂର୍ବରୁ କୃଷ୍ଣ ଗୋଚାରଣରୁ ଫେରିଆସନ୍ତି; କିନ୍ତୁ ସେଦିନ ସନ୍ଧ୍ୟା ଅତିକ୍ରାନ୍ତ ହୋଇଯାଇଛି; ତେଣୁ ମାତା ଯଶୋଦାଙ୍କ ମନ ଭୟ ଓ ନାନା ଆଶଙ୍କାରେ ବିବ୍ରତ ହୋଇପଡ଼ିଛି ।

(ଖ) ଶ୍ରୀକୃଷ୍ଣଙ୍କୁ କେଉଁ ଖାଦ୍ୟ ରୁଚୁ ନଥିଲା ?
Answer:

ଶ୍ରୀକୃଷ୍ଣଙ୍କ ଶରୀର ଥୁଲା ଦୁର୍ବଳ । ତେଣୁ ମା’ ତାଙ୍କୁ ନାନା କ୍ଷୀରଜାତ ଦ୍ରବ୍ୟ; ଯଥା- ଗୋଟିକା, ଅଧାମ ଓ ସର ଆଦି ଯାଚି ଖୁଆଇବାକୁ ଚେଷ୍ଟା କରୁଥିଲେ । ମାତ୍ର ସେସବୁ ଖାଦ୍ୟ କୃଷ୍ଣଙ୍କୁ ରୁଚୁ ନଥିଲା । କିନ୍ତୁ ଲହୁଣି ପ୍ରତି ତାଙ୍କ ମନରେ ଗଭୀର ଆଗ୍ରହ ଥିଲା ଓ ମା’ଙ୍କୁ ସେ ଲହୁଣି ଲାଞ୍ଚ ମାଗୁଥିଲେ ।

(ଗ) ଯଶୋଦା ନିଜକୁ ଡଙ୍କୁଣୀ ବୋଲି କାହିଁକି କହିଛନ୍ତି ?
Answer:

ଯଶୋଦାଙ୍କର ବୃଦ୍ଧାବୟସରେ ଶ୍ରୀକୃଷ୍ଣ ଏକମାତ୍ର ସନ୍ତାନ ହୋଇଥିବାରୁ ସେ କ୍ଷଣମାତ୍ର ପାଖରୁ ଛାଡ଼ିବାକୁ ଇଚ୍ଛା କରୁନଥିଲେ; କିନ୍ତୁ କୃଷ୍ଣ ଗୋଚାରଣରେ ଯିବାକୁ ଜିଦ୍ କରୁଥିଲେ । ବନରୁ ଫେରିବାରେ ବିଳମ୍ବ ହେବାରୁ ଯଶୋଦା ବ୍ୟସ୍ତ ଓ ବିବ୍ରତ ହୋଇ ନିଜକୁ ଡଙ୍କୁଣୀ ବୋଲି କହି ଅନୁତାପ କରୁଥିଲେ ।

(ଘ) ଶ୍ରୀକୃଷ୍ଣଙ୍କ ପାଦରେ କଣ୍ଟା ଫୁଟିଯିବାର ଆଶଙ୍କା ମାଆଙ୍କ ମନରେ କାହିଁକି ସୃଷ୍ଟି ହୋଇଛି ?
Answer:

ଗୋଚାରଣରେ ଯିବାବେଳେ ଶ୍ରୀକୃଷ୍ଣ କଠଉ ଓ ଛତା ସଙ୍ଗରେ ନେଇଥାଆନ୍ତି । କିନ୍ତୁ ସେଦିନ ସେସବୁ ନେବାକୁ ସେ ଭୁଲି ଯାଇଥିଲେ । କଠଉ ନ ଥିବାରୁ ତାଙ୍କ କୋମଳ ପାଦରେ କଣ୍ଟା ଫୁଟି ତାଙ୍କୁ କଷ୍ଟ ହେଉଥ‌ିବ ଭାବି ମା’ ମନରେ ଆଶଙ୍କା ସୃଷ୍ଟି ହୋଇଛି । ବନ ମଧ୍ଯରେ ପଡ଼ିଥିବା ଅନାବନା କଣ୍ଟା ଫୁଟି ପାଦରୁ ରକ୍ତ ଝରିପଡ଼ୁଥ‌ିବ ଓ ସେ ଯନ୍ତ୍ରଣା ଭୋଗୁଥ‌ିବେ, ଏହିକଥା ମନରେ ଭାଳି ମା’ଙ୍କ ମନ ବିଷାଦରେ ଭରିଉଠିଛି ।


🗨
Question ୨।
ଦୁଇଟି ବା ତିନୋଟି ବାକ୍ୟରେ ଉତ୍ତର ଦିଅ ।

(କ) ଶ୍ରୀକୃଷ୍ଣଙ୍କୁ କଳାମାଣିକ କହିବାର ତାତ୍ପର୍ଯ୍ୟ କ’ଣ ?
Answer:

ମାଣିକ୍ୟ ହେଉଛି ଏକ ବହୁମୂଲ୍ୟ ରତ୍ନପଥର । ଏହା ବିଭିନ୍ନ ବର୍ଷର ହୋଇଥାଏ ଓ ବର୍ଣ୍ଣ ଅନୁସାରେ ତା’ର ନାମକରଣ ହୋଇଥାଏ । ଏହା ଚିକ୍‌କଣ, ସୁନ୍ଦର ଓ ବହୁ ମୂଲ୍ୟବାନ୍ । ଯଶୋଦାଙ୍କ ପାଇଁ ଶ୍ରୀକୃଷ୍ଣ ଥିଲେ ସର୍ବସୁନ୍ଦର ଓ ବହୁ ମୂଲ୍ୟବାନ୍ । କିନ୍ତୁ କୃଷ୍ଣଙ୍କ ଶରୀରର ରଙ୍ଗ ଶ୍ୟାମଳ ହୋଇଥିବାରୁ ଯଶୋଦା ପୁତ୍ର କୃଷ୍ଣଙ୍କୁ ସ୍ନେହରେ କଳାମାଣିକ ବୋଲି ସମ୍ବୋଧନ କରିଛନ୍ତି ।

(ଖ) ପୁଅର କେଉଁସବୁ କାର୍ଯ୍ୟ ମନେପକାଇ ମାଆ ଭାଳି ହେଉଛନ୍ତି ?
Answer:

ମା’ ମନ ସନ୍ତାନ ପାଇଁ ସତତ ବ୍ୟାକୁଳ। କୃଷ୍ଣ ଯଶୋଦାଙ୍କର ଏକମାତ୍ର ସନ୍ତାନ ଥିଲେ। ମା’ଙ୍କ ବାରଣ ସତ୍ତ୍ଵେ ଆଦରର ଧନ ତାଙ୍କର ଗୋରୁ ଚରାଇବାକୁ ବଣକୁ ଯାଇ ଫେରିବାରେ ବିଳମ୍ବ କରିଛନ୍ତି। ତେଣୁ ସ୍ନେହମୟୀ, ମମତାମୟୀ ମା’ର ହଦୟ ଅହେତୁକ ଭୟ ଓ ଆଶଙ୍କାରେ ଥରିଉଠିଛି। କୃଷ୍ଣଙ୍କୁ ଘରେ ଅଧାମ, ଗୋଟିକା, ସର ଆଦି ସୁସ୍ଵାଦୁ ଖାଦ୍ୟ ରୁଚେ ନାହିଁ । ଲହୁଣି ମାଗି ମାଗି ନୃତ୍ୟ କରିବା, ଅଳି ଅଝଟ କରି ତଳେ ଗଡ଼ିଯିବା, ଧୂଳି ଧୂସର ହୋଇ କୋଳରେ ଲୋଟିଯିବା ଭଳି କୃଷ୍ଣଙ୍କର ଶିଶୁସୁଲଭ ଚପଳତାକୁ ମା’ ମନେ ପକାଇ ଭାଳି ହେଉଛନ୍ତି । ଜଙ୍ଗଲରେ ଡାହାଣୀ ଓ ରାକ୍ଷସଙ୍କର ଉପଦ୍ରବ ହେଉଥ‌ିବ, ଟାଣଖରାରେ ଶ୍ରମଝାଳ ବୋହି ଯାଉଥବ, ପାଦରେ କଣ୍ଟା ଫୁଟି କଷ୍ଟ ହେଉଥ‌ିବ – ଏମିତି କେତେକଥା ଭାବି ଭାଳି ହେଉଛନ୍ତି ଏବଂ ଭାବି ଭାବି ମା ଯଶୋଦା ବିଳାପ କରୁଥିଲେ ।

(ଗ) ମାଆଙ୍କର ହୃଦୟ ତାପ ବିନାଶ କରିବାରେ ଶ୍ରୀକୃଷ୍ଣ ହରିଚନ୍ଦନ ପରି ଥିଲେ ବୋଲି କହିବାର କାରଣ କ’ଣ ?
Answer:

ହରିଚନ୍ଦନ ହେଉଛି ଦେବଯୋଗ୍ୟ ସୁବାସିତ ଶ୍ଵେତ ଚନ୍ଦନ । ଗ୍ରୀଷ୍ମକାଳରେ ଶରୀରକୁ ଶୀତଳତା ପ୍ରଦାନ କରିବାପାଇଁ ଚନ୍ଦନ ଲଗାଯାଏ ଯାହାକି ହୃଦୟର ସକଳ ସନ୍ତାପ, ଦୁଃଖ, ତାପ ଓ ଦିହନକୁ ଶାନ୍ତ କରେ । ଯଶୋଦାଙ୍କ ଜୀବନରେ କୃଷ୍ଣ ଥିଲେ ବାର୍ଦ୍ଧକ୍ୟର ଏକମାତ୍ର ସମ୍ବଳ, ଜୀବନର୍‌ ସର୍ବସ୍ଵ । ଯେତେବେଳେ ସେ କୃଷ୍ଣଙ୍କୁ ହୃଦୟରେ ଲଗାଇ ଆଲିଙ୍ଗନ କରନ୍ତି, ତାଙ୍କ ହୃଦୟର ସକଳ ଦୁଃଖ, ସନ୍ତାପ ଦୂରୀଭୂତ ହୁଏ । କ୍ଷଣକ ପାଇଁ ପାଖରୁ ଅନ୍ତର ହେଲେ ଭୟ ଓ ଆଶଙ୍କାରେ ତାଙ୍କ ମନରେ ବ୍ୟାକୁଳତା ଭରିଯାଏ ଏବଂ କୋଳକୁ ଫେରିଆସିଲେ ସେ ପରମ ସୁଖ ଅନୁଭବ କରନ୍ତି । ତେଣୁ ସେ କୃଷ୍ଣଙ୍କୁ ହୃଦୟର ତାପ ବିନାଶକ ହରିଚନ୍ଦନ ବୋଲି କହିଛନ୍ତି ।

(ଘ) ଶ୍ରୀକୃଷ୍ଣ କିପରି ଯଶୋଦାଙ୍କର ସୁଖର କାରଣ ଥିଲେ ?
Answer:

ବୃଦ୍ଧ ବୟସରେ ଶ୍ରୀକୃଷ୍ଣଙ୍କ ପରି ସନ୍ତାନ ଯଶୋଦାଙ୍କ ଜୀବନର ସର୍ବସ୍ବ ଏବଂ ଏକମାତ୍ର ସମ୍ବଳ ଥିଲେ । ତାଙ୍କ ପାଇଁ କୃଷ୍ଣ ଥିଲେ ନୟନ ପ୍ରତିମା ସଦୃଶ । କ୍ଷଣକ ପାଇଁ କୃଷ୍ଣ ପାଖରୁ ଅନ୍ତର ହେଲେ ସେ ବିଳାପ କରି ଉଠୁଥିଲେ । କୃଷ୍ଣ ତାଙ୍କ ପାଇଁ ଅନ୍ଧର ଲଉଡ଼ି ଓ ଦରିଦ୍ରର ଧନ ପରି ଥିଲେ । ଅଝଟ କୃଷ୍ଣ କିନ୍ତୁ ତାଙ୍କ ବାରଣ ନ ମାନି ଗୋଚାରଣରେ ବନକୁ ଚାଲି ଯାଉଥିଲେ । ଜୀବର ଜୀବନ ତଥା ହୃଦରତ୍ନହାର ସଦୃଶ କୃଷ୍ଣ ତାଙ୍କ ଜୀବନର ସମସ୍ତ ସୁଖର କାରଣ ଥିଲେ । ତାଙ୍କ ଚନ୍ଦ୍ରବଦନ ଦର୍ଶନରେ ମା’ ପାଉଥିଲେ ଅସୀମ ଆନନ୍ଦ । ଜୀବନର ସମସ୍ତ ଦୁଃଖ ପାସୋରି ସେ ତାଙ୍କୁ କୋଳେଇ ନେଉଥିଲେ ।

(ଡ) ଶ୍ରୀକୃଷ୍ଣଙ୍କର ବେଣୁସ୍ଵନକୁ କାନ ଡେରିବା ପ୍ରସଙ୍ଗରେ କେଉଁ ଭାବ ପ୍ରକାଶ ପାଇଛି ?
Answer:

ଶ୍ରୀକୃଷ୍ଣ ନିତିପ୍ରତି ଗୋଚାରଣରେ ବନକୁ ଯାଇ ସନ୍ଧ୍ୟା ପୂର୍ବରୁ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ଗୋଧୂଳି ବେଳରେ ତାଙ୍କ ବଂଶୀସ୍ୱନକୁ କାନଡେରି ରହୁଥିଲେ ମାତା ଯଶୋଦା । ଦୂରରୁ ସୁମଧୁର ବେଣୁତାନ ତାଙ୍କ ମନରେ ଆନନ୍ଦ ଭରି ଦେଉଥିଲା । ସେ ଦାଣ୍ଡକୁ ଧାଇଁ ଯାଉଥିଲେ ପୁଅକୁ ପାଛୋଟି ଆଣିବାପାଇଁ । ସେଦିନ ସନ୍ଧ୍ୟା ଅତିକ୍ରାନ୍ତ ହୋଇଥିଲେ ମଧ୍ୟ କୃଷ୍ଣଙ୍କ ଘରବାହୁଡ଼ାରେ ବିଳମ୍ବ ଦେଖି ମା’ ଯଶୋଦାଙ୍କ ମନ ଭୟ ଓ ଆଶଙ୍କାରେ ଭରି ଉଠିଥିଲା । ବଂଶୀର ସ୍ଵନକୁ ଅପେକ୍ଷା କରି କରି ନାନା ବିପଦ ଆଶଙ୍କାରେ ବ୍ୟାକୁଳ ହୋଇଥିଲା ତାଙ୍କ ମନ । ତେଣୁ ନିଜକୁ ସ୍ଵୀକାର କରି ଦୁଃଖରେ ଭାଙ୍ଗି ପଡ଼ିଥିଲେ ସେ । ପୁତ୍ରର ଗୁଣ ସ୍ମରଣ କରି ସେ କରୁଣ ସ୍ବରରେ ବିଳାପ କରିଉଠିଥିଲେ । ଏଠାରେ ମାତା ଯଶୋଦାଙ୍କର ଅପୂର୍ବ ବାତ୍ସଲ୍ୟ-ମମତାର ଭାବ ପ୍ରକାଶ ପାଇଛି ।


🗨
Question ୩।
ପଠିତ କବିତାଟିକୁ ମନେପକାଇ କବିତାଂଶ ପୂରଣ କର ।

(କ) ଅନ୍ଧ ଲଉଡ଼ି ବାବୁରେ ………………..।
(ଖ) ………………………. ରଖି ଯାଉ ଗୋରୁ।
(ଗ) ହୃଦତାପ ବିନାଶନେ ……………….।
(ଘ) ………………………. ସର ନ ରୁଚଇ ତୋତେ।
(ଙ) ବନେ କଣ୍ଟା ଲାଗି ହୋଏ ……………….।
Answer:

(କ) ଅନ୍ଧ ଲଉଡ଼ି ବାବୁରେ ହୃଦ ରତ୍ନହାରା
(ଖ) ଡରୁ ଥାଉ ଅନ୍ଧାରକୁ ରଖି ଯାଉ ଗୋରୁ।
(ଗ) ହୃଦତାପ ବିନାଶନେ ହରିଚନ୍ଦନ
(ଘ) ଗୋଟିକା, ଅଧାମ, ସର ନ ରୁଚଇ ତୋତେ।
(ଙ) ବନେ କଣ୍ଟା ଲାଗି ହୋଏ ମୃଦୁ ପାଦ ଚିନ୍ତା


🗨
Question ୪ ।
ସରଳ ଭାଷାରେ ବୁଝାଇ ଲେଖ ।

(କ) ତୋଳି ମୁଁ ଧଇଲେ ……………………….ପଶିବଇଁ ମୁହଁ ।
Answer:

ଉକ୍ତ ପଦ୍ୟାଶଟି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚିତ ‘କଳା ମାଣିକରେ’ ଶୀର୍ଷକ ପଦ୍ୟରୁ ଆନୀତ । ଏଠାରେ ମା’ର ବାତ୍ସଲ୍ୟପ୍ରୀତି ଏବଂ ସନ୍ତାନର ଜନନୀପ୍ରୀତି ଉଭୟର ପରିପ୍ରକାଶ ଘଟିଛି । ବାଲ୍ୟକାଳରେ ଶ୍ରୀକୃଷ୍ଣ ଅତ୍ୟନ୍ତ ଦୁର୍ବଳ ଶରୀରବିଶିଷ୍ଟ ଥିଲେ । ସେଥ‌ିପାଇଁ ମାତା ଯଶୋଦା ଚିନ୍ତିତ ଥିଲେ । ସନ୍ତାନ ଯେତେ ସୁସ୍ଥ ସବଳ ଥିଲେ ମଧ୍ୟ ଜନନୀ ଚକ୍ଷୁରେ ସେ ସଦାବେଳେ ଦୁର୍ବଳ ମନେ ହୋଇଥାଏ । କୃଷ୍ଣଙ୍କୁ କୋଳରେ ଧରି ସ୍ନେହ କଲାବେଳେ ଯଶୋଦା ପୁତ୍ରର ଅସୁସ୍ଥତା ଆଶଙ୍କା କରିଥାଆନ୍ତି । ତେଣୁ ଗୋଟିକା, ଅଧାମ ଓ ସର ଆଦି ପୁଷ୍ଟିକର ଖାଦ୍ୟ ଖାଇବାକୁ ତାଙ୍କୁ ବାଧ୍ୟ କରନ୍ତି । ଏହିପରି ଦୁର୍ବଳ କୋମଳ ଶରୀର ଧାରଣ କରି ସେ ଗୋଚାରଣ ନିମନ୍ତେ ବନକୁ ଯାଇଥିବାରୁ ମା’ ମନ ସଦା ଆତଙ୍କିତ ଥାଏ । ପୁନଶ୍ଚ ସନ୍ଧ୍ୟା ପରେ ବନରୁ ଫେରିବାରେ ବିଳମ୍ବ ହେବାରୁ ଆଶଙ୍କାରେ ଅତିଷ୍ଠ ହୋଇ ଯଶୋଦା ବ୍ୟାକୁଳ ହୋଇଉଠିଛନ୍ତି ଓ ପୁତ୍ରର ଗୁଣାବଳୀ ସ୍ମରଣ କରି ବିଳାପ କରିଛନ୍ତି ।

(ଖ) ନେଲୁ ନାର୍ହି କାର୍ହି ପାଇଁ ………………………….. ..ମୃଦୁ ପାଦ ଚିନ୍ତା ।
Answer:

ଉକ୍ତ ପଦ୍ୟାଶଟି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚିତ ‘କଳା ମାଣିକରେ’ ଶୀର୍ଷକ ପଦ୍ୟରୁ ଆନୀତ । ସ୍ନେହମୟୀ ଜନନୀ ଯଶୋଦାଙ୍କର ବିଳାପ ବର୍ଣ୍ଣନା କରିଛନ୍ତି । ସନ୍ଧ୍ୟାରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିବାରେ ବିଳମ୍ବ ହେବାରୁ ଯଶୋଦା କୃଷ୍ଣଙ୍କ ଚିନ୍ତାରେ ବ୍ୟାକୁଳ ହୋଇଉଠିଛନ୍ତି । ଗାଈଗୋଠ ସହ ଗଲାବେଳେ କୃଷ୍ଣ ତାଙ୍କ କଠଉ ଓ ଛତା ସଙ୍ଗରେ ନେବାକୁ ଭୁଲିଯାଇଛନ୍ତି । ସେଥ‌ିପାଇଁ ମା’ଙ୍କ ମନରେ ଅସୁମାରି ଆଶଙ୍କା ସୃଷ୍ଟି ହୋଇଛି । ସେ ଚିନ୍ତା କରିଛନ୍ତି ହୁଏତ ନିଦାଘ ଝାଞ୍ଜି ହେତୁ କୃଷ୍ଣଙ୍କ ଦେହରୁ ଝାଳ ବହି ପଡ଼ୁଥ‌ିବ । ବନ ମଧ୍ୟରେ ଅନାବନା କଣ୍ଟା ମାଡ଼ି ସୁକୋମଳ ପାଦ ଦୁଇଟିରୁ ରକ୍ତ ଝରିପଡ଼ୁଥ‌ିବ । ଯନ୍ତ୍ରଣାରେ ତାଙ୍କ ଅଲିଅଳ ପୁଅ ଅଧୀର ହୋଇପଡ଼ୁଥ୍ । ଚାଲିବାରେ କଷ୍ଟ ଅନୁଭବ କରି ହୁଏତ ଆସିବାରେ ବିଳମ୍ବ ହୋଇଛି । ଏହିପରି ନାନା ଭୟ ଓ ଆଶଙ୍କାରେ ମା’ ମନ ଶିହରି ଉଠିଛି । ବାତ୍ସଲ୍ୟ ମମତାମୟୀ ଜନନୀ ଯଶୋଦାଙ୍କର ବ୍ୟାକୁଳତା କବିଙ୍କ ଲେଖନୀରେ ଜୀବନ୍ତ ହୋଇଉଠିଛି।


🗨
Question ୫।
ଅସଜଡ଼ା ପଦକୁ ସଜାଡ଼ି ଲେଖ ।

(କ) ତୁ ତୁ ବିନାଶନେ ଏକଇ ବୃଦ୍ଧକାଳେ ନନ୍ଦ ହୃଦତାପ ହରିଚନ୍ଦନ ମୋହର ।
Answer:

ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ, ହୃଦତାପ ବିନାଶନେ ତୁ ହରିଚନ୍ଦନ ।

(ଖ) ଶ୍ରୁତିକି ଡଙ୍କୁଣୀ ବନକୁ ମାତିବାର ଶୁଭୁଛି ଛାଡ଼ିଦେଲି ନିଶାଚର କାହିଁକି ମୁଁ ।
Answer:

ନିଶାଚର ମାତିବାର ଶୁଭୁଛି ଶ୍ରୁତିକି, ମୁଁ ଡଙ୍କୁଣୀ ଛାଡ଼ିଦେଲି ବନକୁ କାହିଁକି ।


🗨
Question ୬।
ଯଶୋଦା ଶ୍ରୀକୃଷ୍ଣଙ୍କୁ କ’ଣ କ’ଣ ସମ୍ବୋଧନ କରି ଡାକିଛନ୍ତି, ସେହି ନାମଗୁଡ଼ିକ ଲେଖ ।

Answer:
ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଜନନୀ ଯଶୋଦା ସମ୍ବୋଧନ କରି ଡାକିଥିବା ନାମଗୁଡ଼ିକ ହେଲା କଳାମାଣିକ, ନିଧନ ସଙ୍ଖାଳି, ଦରିଦ୍ର ପସରା, ଅନ୍ଧ ଲଉଡ଼ି, ହୃଦ ରତ୍ନହାରା, ଜୀବ ଜୀବନ, ନୟନ ପ୍ରତିମା, ହରିଚନ୍ଦନ ।


🗨
Question ୭।
ରେଖାଙ୍କିତ ଶବ୍ଦଗୁଡ଼ିକର ଅର୍ଥ ଲେଖ ।

(କ)ନିଧନ ସଙ୍ଖାଳି ମୋର ଦରିଦ୍ର ପସରା ।
Answer:

ନିଧନ – ନିର୍ଜନ, ଧନହୀନ, ଦରିଦ୍ର, ଗରିବ ।

(ଖ) ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ
Answer:

ନିଧନ – ପୁଅ, ପୁତ୍ର ।

(ଗ) ଗୋଟିକା ଅଧାମ ସର ନ ରୁଚଇ ତୋତେ ।
Answer:

ଅଧାମ – ଦୁଗ୍ଧଜାତ ମିଷ୍ଟାନ୍ନ ବିଶେଷ, ରାବିଡ଼ି, ସରପୁଳି। ଦୁଗ୍ଧକୁ ଗରମ କରି ଏଥୁରୁ ଜଳୀୟ ଅଂଶ କମିଗଲା ପରେ ଅର୍ଦ୍ଧତରଳ ଅବସ୍ଥାରେ ଯାହା ରହେ ତାହାକୁ ଅଧାମ କୁହାଯାଏ । ଏହା ଏକ ସୁସ୍ବାଦୁ ଖାଦ୍ୟ ।.

(ଘ) ବନେ କଣ୍ଟା ଲାଗି ହୋଏ ମୃଦୁ ପାଦ ଚିନ୍ତା ।
Answer:

ମୃଦୁ – କୋମଳ, ନରମ ।

(ଙ‍) ବାର ବାର ବାରୁଥାଇ ଯିବା ପାଇଁ ବନେ ।
Answer:

ବାରୁଥାଇ – ବାରଣ କରୁଥାଇ, ମନା କରୁଥାଇ ।


🗨
Question ୮।
ତଳେ ଦିଆଯାଇଥ‌ିବା ସମୋଚ୍ଚାରିତ ଶବ୍ଦଗୁଡ଼ିକ ମଧ୍ୟରେ ଥ‌ିବା ଅର୍ଥଗତ ପାର୍ଥକ୍ୟ ଲେଖ ।
ବେଶି – ବେଶା, ନିଧନ – ନିଧନ, ଶ୍ରୁତି – ଶ୍ରୁତି, ନିଶା – ନିଶା, ବର – ବର

Answer:
ବେଶି – ଅଧ୍ଵ ।
ବେଶା – ବେଶଧାରା ।
ନିଧନ – ମୃତ୍ୟୁ, ବିନାଶ ।
ନିଧନ – ଧନହୀନ, ଦରିଦ୍ର ।
ଶ୍ରୁତି – କାନ, ଶ୍ରବଣ, ଶୁଣିବା ।
ଶ୍ରୁତି – ବେଦ, କିମ୍ବଦନ୍ତୀ ।
ନିଶା – ରାତ୍ରି ।
ନିଶା – ନିଶାଦ୍ରବ୍ୟ ଅଭସ୍ତ
ବର – ବୃକ୍ଷ ବିଶେଷ, ସ୍ୱାମା, ପତି।
ବର – ଆଶାର୍ବାଦା


🗨
Question ୯।
ତଳଲିଖିତ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
କାନନ, ଦରିଦ୍ର, ନୟନ, ଜନନୀ, ଲଉଡ଼ି

Answer:
କାନନ – ବଣ, ଜଙ୍ଗଲ ।,
ନୟନ – ଚକ୍ଷୁ, ଆଖି ।
ଲଉଡ଼ି – ବାଡ଼ି, ଯଷ୍ଟି ।
ଦରିଦ୍ର – ଦୀନ, ଗରିବ ।
ଜନନୀ – ମାତା, ମା’ ।


🗨
କଠିନ ଶବ୍ଦାର୍ଥ :

  • ଭାକୁଛନ୍ତି – ଭାବୁଛନ୍ତି
  • ଧୀରେ – ପଣ୍ଡିତମାନେ /ସୁଧୀଜନମାନେ ।
  • ବାତ୍ସଲ୍ୟ ମମତା – ନିଜ ପୁଅଝିଅମାନଙ୍କ ପ୍ରତି ପିତାମାତାଙ୍କ ଗଭୀର ସ୍ନେହ ।
  • ଘେନ – ଗ୍ରହଣ କର
  • କାନନ – ବଣ / ଜଙ୍ଗଲ ।
  • ନିଧନ – ଧନହୀନ / ଦରିଦ୍ର / ଗରିବ
  • ଲଉଡ଼ି – ବାଡ଼ି ।
  • ଅନ୍ଧ ଲଉଡ଼ି – ଅନ୍ଧଲୋକ ବାଡ଼ି ସାହାଯ୍ୟରେ ବାଟ ଖୋଜି ଚାଲେ । ବାଢ଼ିଟି ତା’ପାଇଁ ସବୁଠାରୁ ବେଶି -ପ୍ରିୟ, ବେଶି ପ୍ରୟୋଜନ ।
  • ଜୀବନ – ପ୍ରାଣ
  • ପାସୋରି – ଭୁଲି
  • ସାରୁ – ଶେଷକରୁ
  • ଜନକ – ପିତା / ବାପା ।
  • ଜନନୀ – ମାତା ।
  • ନନ୍ଦନ – ପୁତ୍ର ।
  • ବାରବାର – ବାରମ୍ବାର
  • ଡାକିନୀ – ଡାହାଣୀ
  • ହରିଚନ୍ଦନ – ଶୀତଳତା ପ୍ରଦାନକାରୀ ଶ୍ଵେତ ଚନ୍ଦନ ବା ଆହ୍ଲାଦ ପ୍ରଦାନକାରୀ ଚନ୍ଦନ ।
  • ବେଣୁଗୀତ – ବଂଶୀସ୍ବର
  • ହୃଦତାପ – ହୃଦୟର ଦୁଃଖଜ୍ଵାଳା ।
  • ଗୋଟିକା – ପେଡ଼ା / ସନ୍ଦେଶ ।
  • ଅଧାମ – ସରପୁଳି / ରାବିଡ଼ି ।
  • ଲବଣି – ଲହୁଣି ।
  • ବାରୁଥାଇ – ମନାକରୁଥାଏ
  • ମମତା – ସ୍ନେହ ।
  • ବେଣୁ – ବଂଶୀ ।
  • ନିଶାଚର – ରାକ୍ଷସ / ରାତ୍ରିରେ ଯେଉଁମାନେ ବିଚରଣ କରନ୍ତି ।
  • ଅଙ୍ଗୁ – ଦେହରୁ
  • ଶ୍ରୁତି – ଶୁଣିବା/କାନ ।
  • ତରୁ – ବୃକ୍ଷ ।
  • ମୃଦୁ – କୋମଳା
  • ସଙ୍ଖଳି – ପ୍ରାଣଧନ / ପ୍ରିୟବ୍ ସ୍ତୁ।
  • ତାଙ୍କୁଶା – ଡାହାଣା

🗨